ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ନିଷ୍କଳଙ୍କ ସତେଜ ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଗଠିତ ହେଲା | ଅରଣ୍ୟ, ଜଳପ୍ରପାତ, ଥାକ ଥାକ ସବ୍ଜୀକୃତ ଉପତ୍ୟକା ଏବଂ ଚଳଚଞ୍ଚଳ ଝରଣାରେ ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ଆକୃଷ୍ଟ କରିଥାଏ | କୋରାପୁଟ ଜିଲ୍ଲା ୧୭. ୪ ଡିଗ୍ରୀ ରୁ ୨୦.୭ ଡିଗ୍ରୀ ଉପରେ ଅକ୍ଷରେଖା ମଧ୍ୟରେ ଏବଂ ୮୧.୨୪ ଡିଗ୍ରୀ ରୁ ୮୪.୨ ଡିଗ୍ରୀ ପୁର୍ବ ଦ୍ରାଘିମା ମଧ୍ୟରେ ରହିଛି | ଏହାର ପୁର୍ବ ସୀମାରେ ରାୟଗଡାକୁ, ପଶ୍ଚିମ ସୀମାରେ ଛତିଶଗଡ଼ର ବସ୍ତର ଜିଲ୍ଲାକୁ , ଦକ୍ଷିଣ ସୀମା ମାଲକାନଗିରି ଜିଲ୍ଲାକୁ ସ୍ପର୍ଶ କରିଛି | ଏହି ଜିଲ୍ଲାର ଇତିହାସ ସଂପର୍କରେ ଉଲ୍ଲେଖ କରିବାକୁ ଗଲାବେଳେ ଏହାର ପ୍ରାଚୀନତା ଲମ୍ବିଯାଏ ସୁଦୂର ଖ୍ରୀଷ୍ଟପୂର୍ବ ୩ୟ ଶତକକୁ | ଯେତେବେଳେ ଏହା ଦୁର୍ଦ୍ଧଷ ପରାକ୍ରମଶାଳୀ ଆଟବିକମାନଙ୍କ ଦ୍ବାରା ଅଦ୍ଧୁଷିତ ଥିଲା | ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ସାତବାହକ, ନଳ, ଗଂଗବଂଶୀ ଆଦି ବିଭିନ୍ନ ରାଜବଂଶଦ୍ବାରା ଏବଂ ଶେଷରେ ସୂର୍ଯ୍ୟବଂଶୀ ରାଜାଙ୍କ ଦ୍ବାରା ଶାସିତ ହୋଇଥିଲା, ଯେଉଁ ମାନେକି ବ୍ରିଟିଶ ଆଗମନ ପୁର୍ବରୁ କୋରାପୁଟକୁ ମନୋନୀତ କରିଥିଲେ | ପରିଶେଷରେ କୋରାପୁଟ ୧୯୩୬ ମସିହାରେ ଏକ ଜିଲ୍ଲାର ମାନ୍ୟତା ପାଇଥିଲା |
କୋରାପୁଟ ଜିଲ୍ଲାର ଆୟତନ ୮୮୦୭ ବର୍ଗ କି.ମି. ଏବଂ ୨୦୧୧ ଜନଗଣନାନୁସାରେ ଏହାର ଜନସଂଖ୍ୟା ୧୩,୭୯,୬୪୭| ଏହି ଜିଲ୍ଲା ଦୁଇଟି ଉପଖଣ୍ଡରେ ବିଭକ୍ତ, ଯଥା : କୋରାପୁଟ ଓ ଜୟପୁର | ୧୪ ଟି ତହସିଲ, ୧୪ ଟି ବ୍ଲକ୍, ତିନିଟି ପୌରପରିଷଦ, ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ୨୩ଟି ପୁଲିସ ଥାନା, ୨୦୨୮ଟି ଗ୍ରାମ ଏବଂ ୨୪୦ ଟି ପଞ୍ଚାୟତ ଏହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି |
କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୧୨ ଡିଗ୍ରୀ ଓ ସର୍ବୋଚ୍ଚ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁଭୁତ ହୋଇଥାଏ | ଏଠାରେ ମୁଖ୍ୟତଃ ତିନିଟି ଋତୁ ଯଥା ଗ୍ରୀଷ୍ମ, ଶୀତ ଓ ବର୍ଷା ଋତୁ ଅନୁଭୂତ ହୁଏ – ଏପ୍ରିଲରୁ ଜୁନ ମାସ ଗ୍ରୀଷ୍ମ ଋତୁ, ଜୁନ ମାସରୁ ଅକ୍ଟୋବର ଯାଏଁ ବର୍ଷା ଋତୁ ଏବଂ ନଭେମ୍ବର ରୁ ମାର୍ଚ୍ଚ ମାସ ଯାଏ ଶୀତ ଋତୁ ପରିଲକ୍ଷିତ ହୋଇଥାଏ | ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କ ତୁଳନାରେ କୋରାପୁଟ ଜିଲ୍ଲାରେ ଶୀତଋତୁ ସମୟ ଦୀର୍ଘ | ଏ ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୫୦୫.୮ ମିଲିମିଟର |

କୋରାପୁଟ ଜିଲ୍ଲାର ଅର୍ଥବ୍ୟବସ୍ଥା ମୁଖ୍ୟତଃ ବନସଂପଦ ଓ କୃଷି ଉପରେ ଆଧାରିତ | ଦୈନନ୍ଦିନ ଜୀବନ ଯାପନ ପାଇଁ କୃଷିଜାତ ଓ ଜଙ୍ଗଲ ଦ୍ରବ୍ୟ ଉପରେ ଜିଲ୍ଲାର ଅଧିବାସୀ ମାନେ ନିର୍ଭର କରନ୍ତି | ବାର୍ଷିକ ପତ୍ରଝଡା ହେଉଥିବା ଉଦ୍ଭିଦରାଜି ଓ ସବୁଜ ଗୁଳ୍ମଲତା ଇତ୍ୟାଦି ହେଉଛି ଏ ଜିଲ୍ଲାର ପ୍ରାକୃତିକ ସମ୍ବଳ | ଚିରସ୍ରୋତା ଝରଣା ଓ କ୍ଷୁଦ୍ର ନଦୀ-ନାଳ, ସାମୁହିକ ବ୍ୟବହୃତ ପ୍ରଚୁର ଭୁତଳ ଜଳରାଶୀ, ପରିବେଶ ପର୍ଯ୍ୟଟନର ପ୍ରୋସ୍ତାହକ ନିମିତ୍ତ ସମ୍ଭାବ୍ୟ ସମ୍ବଳ , ମାଧ୍ୟାହ୍ନ ଭୋଜନ ବିତରଣର ଦାୟିତ୍ବ ବହନ କରିଥିବା ବିଭିନ୍ନ ମହିଳା ସ୍ବୟଂସହାୟକ ଦଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, ବିଭିନ୍ନ ଗ୍ରାମ୍ୟ ଓ କୁଟୀର ଶିଳ୍ପ ଇତ୍ୟାଦି ହେଉଛି ଜିଲ୍ଲା ଅର୍ଥନୀତିର ମୂଳ ବଳ |

କୃଷିହିଁ ଜିଲ୍ଲା ଅର୍ଥବ୍ୟବସ୍ଥାର ପ୍ରଧାନ ଆଶ୍ରା ଅବଲମ୍ବନ, କାରଣ ପାଖାପାଖି ୮୩% ଲୋକ ଏହା ଉପରେ ନିର୍ଭର କରନ୍ତି | ଉଦ୍ୟାନ ଭିତ୍ତିକ କୃଷି ପାଇଁ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ଅତ୍ୟନ୍ତ ଅନୁକୁଳ | କଫି, କାଜୁ, କପା, ଧୂଆଁପତ୍ର, ପନିପରିବା ଓ ଫଳ ଚାଷ ପାଇଁ ମାଟି ଓ ଜଳବାୟୁ ର ଉପଯୁକ୍ତତା ଏବଂ ଏସବୁର ଉତ୍ପାଦନ ହିଁ ଜିଲ୍ଲା ଅର୍ଥବ୍ୟବସ୍ଥାର ମୁଳ ଶକ୍ତି | ଜିଲ୍ଲାର ବାର୍ଷିକ ସାଧାରଣ ଖାଦ୍ୟଶସ୍ୟ ହେଉଛି ଧାନ, ମାଣ୍ଡିଆ, ବାଜରା, ମକା ଓ ଡାଲିଜାତୀୟ ଶସ୍ୟ |

ଶିକ୍ଷା ଦୃଷ୍ଟିରୁ ବିବେଚନା କଲେ ଜିଲ୍ଲା ର ସାକ୍ଷରତା ହାର ହେଉଛି ୪୯.୨୧% | ଜିଲ୍ଲାର ମୋଟ ସାକ୍ଷର ପୁରୁଷଙ୍କ ସଂଖ୍ୟା ୩,୪୦,୮୪୩ ଏବଂ ସାକ୍ଷର ମହିଳାଙ୍କ ସଂଖ୍ୟା ୨,୨୭,୨୪୭ | ଜିଲ୍ଲାର ବହୁ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି , ଯଥା :- ଜୟପୁର ଆଇନ୍ ମହାବିଦ୍ୟାଳୟ, ସୀତମ୍ , ଡି.ଏ.ଭି ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ, ଶ୍ରୀ ଅରବିନ୍ଦ ପୂର୍ଣାଗଂ ଶିକ୍ଷାକେନ୍ଦ୍ର, ସିଦ୍ଧାର୍ଥ ଯାନ୍ତ୍ରିକ ମହାବିଦ୍ୟାଳୟ ଇତ୍ୟାଦି |
ବହୁ ଭ୍ରମଣ ଯୋଗ୍ୟ ଏୈତିହାସିକ ସ୍ଥାନ ମଧ୍ୟ ଏ ଜିଲ୍ଲାରେ ରହିଛି | ଯଥା- ଗୁପ୍ତେଶ୍ବର ଶିୈବ ପୀଠ, ଶାବର ଶ୍ରୀକ୍ଷେତ୍ର, ଆଦିବାସୀ ସଂଗ୍ରହାଳୟ, ଜୟପୁର, ଡୁଡୁମା ଜଳପ୍ରପାତ , କୋଲାବ ଡ୍ୟାମ, ଦାମନଯୋଡି, ଜୈନପୀଠ, ମାଳିଗୁଡା ରେଳ ସୁଡଙ୍ଗ ଇତ୍ୟାଦି | ଏସବୁ ସ୍ଥାନ ବର୍ଷସାରା ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥାଏ |

ଏ ଜିଲ୍ଲାର ଅଧିବାସୀ ମାନେ ପ୍ରବଳ ଆନନ୍ଦ ଉଲ୍ଲାସରେ ବହୁ ପର୍ବପର୍ବାଣି ପାଳନ କରିଥାନ୍ତି | ସେସବୁ ମଧ୍ୟରେ ରହିଛି ଚଇତ ପରବ, ବାଲିଯାତ୍ରା, ଦଶହରା, ଶିବରାତ୍ରି, ହୋଲି, ରଥଯାତ୍ରା | ତେବେ ମୁଖ୍ୟ ମହୋତ୍ସବ ହେଉଛି ନୃତ୍ୟ ଓ ସଂଗୀତ ଭିତ୍ତିକ ମହୋତ୍ସବ ‘ପରବ’, ଯାହାକି ପ୍ରତ୍ୟେକ ବର୍ଷ ପାଳନ କରାଯାଏ |