ଇତିହାସ

ଜିଲ୍ଲାର ନାମକରଣ ଏହାର ସଦର ମହକୁମା ବର୍ତ୍ତମାନର କୋରାପୁଟ ସହର ଅନୁସାରେ ନିର୍ଣ୍ଣୟ କରାଯାଇଛି | ପ୍ରାଚୀନ କାଳରେ , ଏ ଅଂଚଳକୁ “ନଳ “ ମାନେ ଶାସନ କରୁଥିଲା ବେଳେ “ପୁଷ୍କରୀ “ ( ଆଧୁନିକ ଉମରକୋଟ ) ଥିଲା ଏହାର ରାଜଧାନୀ | ମଧ୍ୟଯୁଗରେ ଶିଳାବଂଶୀ ରାଜାମାନଂକ ଶାସନ କାଳରେ କିଛି ବର୍ଷ ପାଈଁ ‘ନନ୍ଦପୁର’ ଏହାର ରାଜଧାନୀ ରୁପେ ଗଢି ଉଠିଥିଲା ଏବଂ ଆଉ କିଛି କାଳ ସୁର୍ଯ୍ୟବଂଶୀ ରାଜମାନଂକ ଅଧିନରେ ଥିଲା | ସୁର୍ଯ୍ୟବଂଶୀ ରାଜା ବୀର ବିକ୍ରମ ଦେବ ସପ୍ତଦଶ ଶତାଦ୍ଧୀରେ ‘ ଜୟପୁର ‘ କୁ ରାଜଧାନୀ ସ୍ଥାନାନ୍ତର କରିଥିଲେ | ୧୮୭୦ ଖ୍ରୀଷ୍ଟାଦ୍ଧରେ ଇଂରାଜୀମାନେ ଉତ୍ତମ ସ୍ବାସ୍ଥ୍ୟ ଓ ଜଳବାୟୁ ଦୂଷ୍ଟିରୁ କୋରାପୁଟ ସହରକୁ ବାଛିଥିଲେ | କୋରାପୁଟ ନାମର ଉତ୍ପତ୍ତି ଦୁର୍ବୋଦ୍ଧ ଓ ଧୁମାଛନ୍ନ ହୋଇ ରହିଛି, ଏ ପରିପ୍ରେକ୍ଷୀରେ ବହୁ ସିଦ୍ଧାନ୍ତ ଓ ତତ୍ତ୍ବ ରହିଥିଲେ ମଧ୍ୟ କୋଣସିଟି ମଧ୍ୟ ଯୁକ୍ତି ଯୁକ୍ତ ମନେ ହେଉନାହିଁ | କୋରାପୁଟର ପ୍ରଥମ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲାପଳ ଶ୍ରୀ .ଆର.ସି.ଏସ .ବେଲ ଙ୍କ ମତାନୁସରେ ସହରଟିର ନାମ ‘ କରା-ପୁଟି ‘ ( ବା ଏକପ୍ରକାର ବିଷାକ୍ତ ‘କରା’ ଗଛରେ ପରିପୁର୍ଣ୍ଣ ରହିଥିବା ଏକ ଛୋଟ ଗ୍ରାମାଂଚଳ ) ରୁ ଉପତ୍ତି ହୋଇଛି | କିନ୍ତୁ ବର୍ତ୍ତମାନ ଉକ୍ତ ଗଛ ଏ ସହରରେ ବା ଆଖପାଖ ଅଂଚଳରେ ଦୃଶ୍ୟମାନ ହେଉନଥିବାରୁ ଶ୍ରୀଯୁକ୍ତ ବେଲ ଙ୍କ ଧାରଣା ପ୍ରଶ୍ନବାଚୀ ହୋଇରହିଛି |

ପୁର୍ବତନ ଜୟପୁର ଓ କାଶୀପୁର ଜମିଦାରୀକୁ ନେଇ ସମଗ୍ର କୋରାପୁଟ ଜିଲ୍ଲା ଗଠିତ | ସାଂପ୍ରତିକ ଜୟପୁର ରାଜପରିବର ପ୍ରତିଷ୍ଠାତା ବିନାୟକ ଦେବ ପଂଚଦଶ ସତାଦ୍ଧୀରେ ଶୀଳାବଂଶୀ ରାଜମାନଂକ ଠାରୁ ଦାୟସୁତ୍ରରେ ଏହି ରାଜ୍ୟ ପାଇଥିଲେ | ଯେତେବେଳେ ଏହା ଗୋଲକୋଣ୍ଡାର କୁତୁବଶାହୀଙ୍କ ର ଏକ କରଦ ରାଜ୍ୟ ହୋଇଯାଇଥିଲା | ସେତେବେଳେ ୧୫୭୧ ଖ୍ରୀଷ୍ଟାଦ୍ଧରେ ଏ ରାଜଧାନୀ ତାର ସ୍ବାଧୀନତା ହରାଇଥିଲା ଏବଂ ନନ୍ଦପୁର ରାଜାମାନେ ସୁଲତାନଂକୁ ବାର୍ଷିକ ଖଜଣା ପ୍ରଦାନ କରିବା ଆରମ୍ଭ କରିଥିଲେ | ବଳରାମଦେବ ୩ୟ ( ୧୭୧୧ -୧୭୧୩ ) ଙ୍କୁ ସମୟରେ ମରାଠାମାନଂକ ସହାୟତାରେ ଜୟପୁର ରାଜ୍ୟ ଅଧିନରେ ଥିବା ବହୁ ଜମିଦାର ଓହରି ଯାଇ ନିଜକୁ ସ୍ବାଧିନ ରୁପେ ଘୋଷଣା କରିଥିଲେ | ଆବଶ୍ୟ ତତ୍କାଳିନ ରାଜା ବିକ୍ରମ୍ ଦେବ ପ୍ରଥମ ବାର୍ଷିକ ଟ୪୦,୦୦୦/- ଖଜଣା ବଦଳରେ ଉକ୍ତ ଜମିଦାରୀ ଗୁଡିକୁ ଫେରାଇ ଆଣିଥିଲେ ସତ , କିନ୍ତୁ କେବେବି ତିନି-ଚତୁର୍ଥାଶଂ ଖଜଣାରୁ ଅଧିକ ପୈଠ କରାଯାଇଥିଲା | ପରିଶେଷରେ ବିକ୍ରମ୍ ଦେବ ୨ୟଙ୍କ ଶାସନ କାଳରେ ଜୟପୁରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା | ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ଜୟପୁର ମହାରାଜା ବିକ୍ରମ୍ ଦେବ ସ୍ବାଧିନତା ଆନ୍ଦଳନରେ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ | ପରିଶେଷରେ ୧.୪.୧୯୩୬ ରେ ତତ୍କାଳିନ  କୋରାପୁଟ ଜିଲ୍ଲା ଗଠିତ ହେଲା ଏବଂ ଶ୍ରୀ ଆର.ସି.ଏସ ବେଲ କୋରାପୁଟର ପ୍ରଥମ ଜିଲ୍ଲାପାଳ ରୁପେ ଅବସ୍ଥାପିତ ହେଲେ | ପରବର୍ତ୍ତିୀ ସମୟରେ ୧.୧୦.୧୯୯୨ ରେ କୋରାପୁଟ ଜିଲ୍ଲାକୁ ଚାରିଗୋଟି ଜିଲ୍ଲାରେ ବିଭକ୍ତ କରାଗଲା , ଯଥା – ବର୍ତ୍ତମାନର କୋରାପୁଟ , ରାୟଗଡା ,ମାଲକାନଗିରି ଓ ନବରଂଗପୁର |